Scientific Benefits of Yoga: ଯୋଗ ଦୂର କରେ ରୋଗ 🤫

scientific benefits of yoga to cure the diseases| Yogashree Explainer

ଜିର ଦୁନିଆରେ ଜୀବନ ଦୌଡ଼ରେ ଆମେ ପରସ୍ପରଠାରୁ ଆଗକୁ ଯିବା ପାଇଁ ଏତେ ମାତ୍ରାରେ ବ୍ୟଗ୍ର ଯେ,  ଦୌଡ଼ରେ ସାମିଲ ହେବା ପରେ ଆମେ ସ୍ୱାସ୍ଥ୍ୟର ଯତ୍ନ କଥା ସମ୍ପୂର୍ଣ୍ଣ ଭୁଲି ଯାଉଛନ୍ତି । ଅର୍ଥ ଲାଳସାରେ ନିଜର ବାସ୍ତବ ସମ୍ପତ୍ତିକୁ ଅଣଦେଖା କରି ମିଥ୍ୟା ସମ୍ପତ୍ତି ଠୁଳ କରିବାରେ ତମାମ ସମୟ ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏପରି ସମୟ ଆସେ ସ୍ୱାସ୍ଥ୍ୟ ସମ୍ପଦକୁ ହରାଇବା ମୁହୂର୍ତ୍ତରେ ହିଁ ଆମେ ଜୀବନକୁ ବୁଝନ୍ତି । ଯଦିଓ ସେତେବେଳେ ଆଉ ପଛକୁ ଫେରିବା ସମ୍ଭବ ହୋଇନଥାଏ । 

ମାନବ ଜୀବନ ଜଟିଳ ନୁହେଁ ବରଂ ମଣିଷର ଭାବନା ହିଁ ଜଟିଳ 

ତମାମ୍ ଚିନ୍ତା ଓ ଭାବନାକୁ ଜୀବନ ମନେକରି ଯନ୍ତ୍ରଣାକୁ ଆଦରି ନେଉଥିବା ମଣିଷ, ଜୀବନକୁ ଉପଭୋଗ ବଦଳରେ ନିଜ ଭାବନାକୁ ଭୋଗ କରୁକରୁ ଶେଷ ସୋପାନରେ ପହଞ୍ଚି ଯାଏ । କସ୍ତୁରୀ ପରି ନିଜ ଭିତରେ ଛପି ରହିଥିବା ସୁଖର ସନ୍ଧାନ ନପାଇ, ମାଟିରୁ ଆକାଶ, ଦେହରୁ ବିଦେହ ଲଙ୍ଘୁଥାଏ, ଟିକିଏ ଖୁସିର ସନ୍ଧାନରେ ମଣିଷ । 

ଯୋଗ ଶକ୍ତିର ସନ୍ଧାନ

ନିଜ ଶରୀରକୁ ସ୍ୱୟଂଚାଳିତ ଯନ୍ତ୍ରଟିଏ ଭାବିନେଇ ଯନ୍ତ୍ରଣାର ସରହଦ ଭିତରକୁ ଅଜାଣତରେ ଲମ୍ଫ ଦେଉଥିବା ମଣିଷ, ନିଜ ଚାରି ପାଖର ପୃଥିବୀକୁ ଶତ୍ରୁ ମନେକରେ । ପଞ୍ଚଭୂତ (ମାଟି,ପାଣି,ପବନ, ଆକାଶ, ନିଆଁ) ର ଶରୀରକୁ ଅବଜ୍ଞା କରି ବିଜ୍ଞାନର ଚମତ୍କାରିତାରେ ଜୀବନକୁ ରଂଗୀନ କରିବାକୁ ଚାହିଁ ଶେଷେ ବିଫଳ ହୁଏ । କିନ୍ତୁ ଆଜି ସେହି ବିଜ୍ଞାନ ଯୋଗ ଶକ୍ତିର ସନ୍ଧାନ ପାଇସାରିଛି ।

ବର୍ଷ ବର୍ଷର ଅନୁଧ୍ୟାନ ପରେ ଆଧୁନିକ ବିଜ୍ଞାନ ଏକଥା ସ୍ୱୀକାର କରିସାରିଛି ଯେ ପ୍ରାଚୀନ ଭାରତବର୍ଷର ମହାଜ୍ଞାନ ଯୋଗ ଶାରୀରିକ ସୁସ୍ଥତାର ଚାବିକାଠି । ନିୟମିତ ଯୋଗାଭ୍ୟାସ ଶରୀରକୁ ଆରୋଗ୍ୟ ରଖିବା ସହ ମନର ସର୍ବୋତ୍ତମ ବିକାଶ କରିବାକୁ ସକ୍ଷମ । ଆଧୁନିକ ବୈଜ୍ଞାନିକ ଗବେଷଣାରୁ ଏହା ପ୍ରମାଣ ସିଦ୍ଧ ହୋଇସାରିଛି । ଏପରିକି ନିୟମିତ ମାତ୍ର ୨୧ ମିନିଟ, ୩ ମାସର ସମ୍ଭାବୀ ମହାମୁଦ୍ରା ଅଭ୍ୟାସ କରିବା ପରେ ମଣିଷ ମସ୍ତିଷ୍କ ପ୍ରାୟ ୨୪୧ % ଅଧିକ କାର୍ଯ୍ୟକ୍ଷମ ହୋଇପାରୁଥିବା ୟୁନିଭରସିଟି ଅଫ କାଲିଫର୍ଣ୍ଣିଆର ଗବେଷଣାରୁ ଜଣାପଡ଼ିଛି । ନିୟମିତ ଯୋଗାଭ୍ୟାସ ଫଳରେ ରକ୍ତରେ ଗ୍ଲୁକୋଜର ମାତ୍ରାକୁ ହ୍ରାସ କରାଯାଇ ପାରୁଛି ।  ଯାହା  ଡାଇବେଟିସକୁ ନିୟନ୍ତ୍ରଣ କରିବାକୁ ସକ୍ଷମ । ଏହାସହିତ ରକ୍ତରେ କୋଲେଷ୍ଟରଲ୍ ମାତ୍ରାକୁ ଯୋଗ ଦ୍ୱାରା ସନ୍ତୁଳିତ କରାଯାଇପାରୁଛି ।

ଧ୍ୟାନ କରିବା ଦ୍ୱାରା ମନରେ ଏକାଗ୍ରତା ବୃଦ୍ଧି ପାଉଛି । ଭାରତୀୟ ଯୋଗ ଶାସ୍ତ୍ର ଅନୁସାରେ ୮ ସପ୍ତାହ ଧ୍ୟାନର ଅନୁସରଣ କରିପାରିଲେ, ପ୍ରତିଦିନ ଅତିକମରେ ୩୦ ମିନିଟ୍ ପାଇଁ ଧ୍ୟାନ କଲେ ଯେକୌଣସି ବ୍ୟକ୍ତିଙ୍କ ମନରେ ସୁଖ ପରିସର ବୃଦ୍ଧି ପାଇବା ନିଶ୍ଚିତ ।

ବର୍ତ୍ତମାନ ସମୟରେ ହାଇ ଫ୍ୟାଟ୍‌ ଓ ହାଇ ସୁଗାର ଯୁକ୍ତ ଖାଦ୍ୟ ପ୍ରଭାବରେ ଲୋକେ ସାଧାରଣତଃ ନିଦ୍ରାହୀନତା, ମେଦ ବହୁଳତା,ପରିସ୍ରା ସମୟରେ ଯନ୍ତ୍ରଣା, ମଳ କଣ୍ଟକ, ଗଣ୍ଠି ଯନ୍ତ୍ରଣା, ଦୁର୍ବଳତା, ନିୟମିତ ମୁଣ୍ଡବିନ୍ଧା, ମେରୁଦଣ୍ଡ ଯନ୍ତ୍ରଣା ପରି ରୋଗର ଶିକାର ହେଉଛନ୍ତି । କିନ୍ତୁ ମାତ୍ର କିଛି ଦିନର ଯୋଗାଭ୍ୟା ଏପରି  ଜୀବନଶୈଳୀକୁ ପରିବର୍ତ୍ତନ କରିପାରିବ । Psycho Cybernetics  ପୁସ୍ତକର ଲେଖକ Dr. Maxwell Maltz ଙ୍କ ମତ ଅନୁସାରେ ମାତ୍ର ୨୧ ଦିନର ନିୟମିତ ଅଭ୍ୟାସ ଆମର ଜୀବନଶୈଳୀରେ ପରିବର୍ତ୍ତନ ଆଣିପାରିବ । ସୁଷମ ଖାଦ୍ୟ ଗ୍ରହଣଠାରୁ ଆରମ୍ଭ କରି ନିୟମିତ ଯୋଗାଭ୍ୟାସକୁ ଅତି କମରେ ମାତ୍ର ୨୧ ଦିନରେ ଆୟତ କରାଯାଇପାରିବ । ୨୧ ସଂଖ୍ୟାରେ କୌଣସି ମ୍ୟାଜିକ ନାହିଁ, ବାସ୍ତବରେ କିଛି ଦିନର ଅଭ୍ୟାସ ପରେ ଶରୀର ସେହି କ୍ରିୟା ସହିତ ପରିଚିତ ହୋଇଯାଏ, ଏପରିକି ମାତ୍ର ୨୧ ଦିନର ସୁଅଭ୍ୟାସ ପରେ ମଣିଷ ନିଜର ପୁରୁଣା ଦିନକୁ ମଧ୍ୟ ଭୁଲିଯାଇପାରେ ।    

୫ ହଜାର ବର୍ଷରୁ ଅଧିକ ସମୟ ପୂର୍ବରୁ ଯୋଗକୁ ଜୀବନର ଅଙ୍ଗ ଭାବେ ଗ୍ରହଣ କରିନେଇଥିଲେ ଭାରତବାସୀ । ଯାହା ଭାରତବର୍ଷକୁ ଆଣି ଦେଇଥିଲା ବ୍ୟାପ୍ତି, ଦୀପ୍ତି ଓ ଗୌରବ । ଶରୀର, ମନ ଓ ଆଦ୍ୟଶକ୍ତିର ମହାମିଳନ ପାଇଁ ବାସ୍ତବରେ ଯୋଗ ଏକ ଆଧ୍ୟାତ୍ମିକ ସାଧନା । ଯୋଗ ଶବ୍ଦଟି ସଂସ୍କୃତ ଶବ୍ଦ‘ଯୁଜ୍’ ଧାତୁରୁ ବ୍ୟୁତ୍ପନ୍ନ ।  ‘ଯୁଜ୍’ ର ଅର୍ଥ ମିଳନ ବା ସଂଯୋଗ  । ତାତ୍ତ୍ଵିକ ଦୃଷ୍ଟିରୁ ଯୋଗ ମାଧ୍ୟମରେ ‘ଜୀବାତ୍ମା’ ଓ ‘ପରମାତ୍ମା’ଙ୍କ ମହାମିଳନ ହୋଇଥାଏ  । ଯୋଗ ସାଧନା ଦ୍ୱାରା ପିଣ୍ଡ (ଶରୀର) ଓ ବ୍ରହ୍ମାଣ୍ଡ (ପୃଥିବୀ)ମଧ୍ୟରେ ଏବଂ ପ୍ରକୃତି ଓ ପୁରୁଷ ମଧ୍ୟରେ ଐକ ସ୍ଥାପିତ ହୋଇଥାଏ  । ମଣିଷ ଓ ପ୍ରକୃତି ମଧ୍ୟରେ ସମନ୍ଵୟ ସ୍ଥାପନ ଫଳରେ ସଂପୂର୍ଣ୍ଣ ସୁସ୍ଥତା ପ୍ରାପ୍ତ ସମ୍ଭବ ହୋଇପାରେ  ।

Also Read: ଏହି ସୂର୍ଯ୍ୟ ସହସ୍ତ୍ରାଂଶୋ ।। ସୂର୍ଯ୍ୟ ଅର୍ଘ୍ୟ ମନ୍ତ୍ର ।। Ehi Surya Sahastransho Shlok in Odia🌞

ଯୋଗ ରୋଗ ଦୂର କରିବାକୁ ସକ୍ଷମ ହେଉଥିବାବେଳେ ଆଧୁନିକ ବିଜ୍ଞାନ ପରୀକ୍ଷାରୁ ସୃଷ୍ଟି ଔଷଧ ବିଫଳ ହେବାର କାରଣର ପର୍ଦ୍ଦାଫାସ ହୋଇସାରିଛି । ଏହାର କାରଣ ଜାଣିବା ପାଇଁ ଦୀର୍ଘ ଗବେଷଣା ହୋଇଛି ।  ବର୍ତ୍ତମାନ ସମୟରେ ଯେକୌଣସି ରୋଗର ଚିକିତ୍ସା ପାଇଁ ଆମ ସାମ୍ନାରେ ଅନେକ ବିକଳ୍ପ ବିଦ୍ୟମାନ ରହିଛି । ଯେପରିକି- ଏଲୋପାଥିକ, ହୋମିଓପାଥିକ, ଆୟୁର୍ବେଦିକ ଇତ୍ୟାଦି । ରୋଗ ସମାନ ହୋଇଥିଲେ ବି ପ୍ରତି ବର୍ଗରେ ଚିକିତ୍ସା ଉପାୟ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ । 

ଏଲୋପାଥିକ, ହୋମିଓପାଥିକ, ଆୟୁର୍ବେଦିକ ଚିକିତ୍ସା ମାଧ୍ୟମ ଭିନ୍ନ ଭିନ୍ନ ଅଟେ । ସାଧାରଣ ଭାବେ ଶରୀରରେ ହେଉଥିବା ରୋଗକୁ ଆମେ ଦୁଇଟି ମୂଖ୍ୟ ବର୍ଗରେ ବିଭାଗୀକରଣ କରିପାରିବା । ପ୍ରଥମଟି ବାହ୍ୟ ଉତ୍ସ ବ୍ୟାଧି ଓ ଦ୍ୱିତୀୟଟି ଅନ୍ତଃ ଉତ୍ସ ବ୍ୟାଧି ।  

ବାହ୍ୟ ଉତ୍ସ ବ୍ୟାଧି: ଜଳ କିମ୍ବା ବାୟୁ ମାଧ୍ୟମରେ କୌଣସି ବାହ୍ୟ ଜୀବାଣୁ, କୀଟାଣୁ ଶରୀରରେ ପ୍ରବେଶ କରିଥାଆନ୍ତି । ଶରୀରରେ ପ୍ରବେଶ କରିବା ପରେ ସଂକ୍ରାମକ ଭାଇରସ ଉପଯୁକ୍ତ ସ୍ଥିତିରେ ବଂଶବିସ୍ତାର କରନ୍ତି । ଯାହା ଫଳରେ ଶରୀରର ଆଭ୍ୟନ୍ତରୀଣ କ୍ରିୟା ପ୍ରଭାବିତ ହୁଏ । କ୍ଷତିଗ୍ରସ୍ତ ହେଉଥିବା ଶାରୀରିକ ଆଭ୍ୟନ୍ତରୀଣ ଅଙ୍ଗ ଅନୁଯାୟୀ, ଏହାକୁ ଗୋଟିଏ ରୋଗର ନାମ ଦିଆଯାଏ । କିନ୍ତୁ ଏପରି ରୋଗର ମାତ୍ରା ୧୫ %ରୁ କମ୍ । 

ଅନ୍ତଃ ଉତ୍ସ ବ୍ୟାଧି: ୮୦ ପ୍ରତିଶତରୁ ଅଧିକ ବ୍ୟାଧିଗୁଡିକର ଉତ୍ପତ୍ତି ଶରୀରର ଅନ୍ତଃଭାଗରେ ହୋଇଥାଏ । ବାସ୍ତବରରେ ଶରୀରରେ ଜନ୍ମରୁ ବ୍ୟାଧିଗୁଡ଼ିକର ଉପସ୍ଥିତି ରହିଥାଏ । ସୃଷ୍ଟି ସହ ଯୋଡ଼ି ହୋଇ ରହିଥାଏ ବିନାଶ । କିନ୍ତୁ ବ୍ୟାଧିର ସୁତ୍ରଧର ଶରୀରରେ ସୁପ୍ତ ଅବସ୍ଥାରେ ରହିଥାଏ । ମଣିଷ ଜୀବନ ଧାରାରୁ ବିଚ୍ଛିନ୍ନ ହେଲେ, ସୁଯୋଗ ପାଇବା ମାତ୍ରେ ଶରୀରରେ ସୁପ୍ତ ଅବସ୍ଥାରେ ଥିବା ରୋଗ ଜୀବାଣୁ ଓ କୀଟାଣୁ ସେମାନଙ୍କ ବଂଶବିସ୍ତାର ଆରମ୍ଭ କରନ୍ତି । ଯାହାକୁ ଆମେ ରୋଗଗ୍ରସ୍ତତା କହିଥାନ୍ତି । ବାସ୍ତବରେ ଆମେ ହିଁ ଶରୀରରେ ଏହି ରୋଗ ଜୀବଣୁଗୁଡ଼ିକୁ ସକ୍ରିୟ ହେବା ପାଇଁ ସୁଯୋଗ ଦେଇଥାନ୍ତି ।   

Also Read: Ashtanga Yoga: ମହର୍ଷି ପତଞ୍ଜଳିଙ୍କ ଅଷ୍ଟାଙ୍ଗ ଯୋଗ ଦର୍ଶନ

ଏଲୋପାଥିକ ଚିକିତ୍ସା ପଦ୍ଧତିର ଆଦୃତି ଓ କ୍ରମବିକାଶର କାରଣ

ଉନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧ ଏବଂ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ମଧ୍ୟରେ ସାରା ବିଶ୍ୱରେ ଏଲୋପାଥିକ ଚିକିତ୍ସାର ଆଦୃତି ହୋଇଥିଲା । କାରଣ ଏଲୋପାଥିକ ଚିକିତ୍ସାର ସଫଳତାର ଉତ୍ସ ଥିଲା ଜୀବାଣୁ ଓ ଆଣ୍ଟିବାୟୋଟିକ୍ସର ଆବିଷ୍କାର ଏବଂ ବିଭିନ୍ନ ରୋଗର ପ୍ରତିଷେଧକ ଟିକା ଉଦ୍ଭାବନ । ଏକ୍ସରେ ଯନ୍ତ୍ର ମାଧ୍ୟମରେ ଶରୀରରେ ରୋଗ ଚିହ୍ନଟ ସମ୍ଭବ ହୋଇପାରିଲା । ରୋଗର କାରଣ ରୋଗ ଜୀବାଣୁକୁ ଚିହ୍ନଟ କରିବା ପରେ ଆଣ୍ଟିବାୟୋଟିକ୍ସ ଔଷଧ ଓ ପ୍ରତିଷେଧକ ଟିକା ପ୍ରୟୋଗ କରାଗଲା । ଯାହା ଫଳରେ ଶରୀରର ଅନ୍ତର୍ଦେଶରେ ରୋଗ ଜୀବାଣୁର ପତନ ସମ୍ଭବ ହୋଇପାରିଲା ଓ ରୋଗୀକୁ ରୋଗ ଯନ୍ତ୍ରଣାରୁ ଉପଷମ ବି ମିଳିଲା । କିନ୍ତୁ ଏହି ଚିକିତ୍ସା ରୋଗକୁ ଦମନ କରିବାରେ ସିନା ସଫଳ ହେଲା ରୋଗାକ୍ରାନ୍ତ ବ୍ୟକ୍ତିର ଭବିଷ୍ୟତକୁ ନିଶ୍ଚିତ କରିପାରିଲା ନାହିଁ । କାରଣ ରୋଗ ଜୀବାଣୁର ଦମନ ପାଇଁ ପ୍ରୟୋଗ ହୋଇଥିବା ଔଷଧର ତୀବ୍ର ପାର୍ଶ୍ୱ ପ୍ରତିକ୍ରିୟା ମଣିଷକୁ ପୁନର୍ବାର ଭିନ୍ନ ରୋଗରେ ପୀଡ଼ିତ କରିବା ଆଶଙ୍କା ବଢ଼ିଚାଲିଲା । ଆଣ୍ଟିବାୟୋଟିକ୍ସ ଔଷଧ ଓ ପ୍ରତିଷେଧକ ଟିକା କେବଳ ରୋଗକୁ ଦମନ କରିବାରେ ସୀମିତ ରହିଲା କିନ୍ତୁ ଅଣସଂକ୍ରାମକ ବ୍ୟାଧିର ସମ୍ପୂର୍ଣ୍ଣ ବିନାଶ କରିପାରିବା ସମ୍ଭବପର ହୋଇପାରିଲା ନାହିଁ । ବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ଶ୍ରମକାତର ଜୀବନଶୈଳୀ ହିଁ ବ୍ୟାଧିଗୁଡିକର ଉତ୍ପତ୍ତି ବୋଲି ଗବେଷଣାରୁ  ଜଣାପଡ଼ିଲା । କେବଳ ରୋଗ ନୁହେଁ, ଶରୀରକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକତା ଥିବା ଚିକିତ୍ସା ବିଜ୍ଞାନୀ ମତବ୍ୟକ୍ତ କଲେ । କିନ୍ତୁ ଶାରୀରିକ କ୍ଷତ ପୂରଣ, ଦୁର୍ଘଟଣା ଜନିତ ବିକଳାଙ୍କତାକୁ ଦୂର କରିବାରେ ଏଲୋପାଥିକ ଖୁବ ସଫଳ ହୋଇପାରିଲା ।

ହୋମିଓପାଥିକ ଚିକିତ୍ସା ପଦ୍ଧତିର ଆଦୃତି ଓ କ୍ରମବିକାଶର କାରଣ

୧୮୦୦ ମସିହା ପରେ ମାନସିକ ଚାପବୃଦ୍ଧି, ଜୀବନଶୈଳୀ ଜନିତ ରୋଗ ଗୁଡିକର ଚିକିତ୍ସା ପାଇଁ ଅନ୍ୟତମ ମାଧ୍ୟମ ହୋମିଓପାଥିକ ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି ପାଇଥିଲା । କାରଣ ଏହି ଚିକିତ୍ସା ପଦ୍ଧତିରରେ ଏଲୋପାଥିକ ପରି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିଲା । ବୟସ ନିର୍ବିଶେଷରେ ଯେ କୌଣସି ରୋଗ ପାଇଁ ଚିକିତ୍ସା ସମ୍ଭପପର ହୋଇପାରିଥିଲା । ୧୭୯୬ ମସିହାରେ ଜର୍ମାନୀ ବିଜ୍ଞାନୀ ଡକ୍ଟର ସାମୁଏଲ ହାନେମାନ ହୋମିଓପାଥିକ ଚିକିତ୍ସା ପଦ୍ଧତିର ଆବିଷ୍କାର କରିଥିଲେ । ପ୍ରାକୃତିକ ଉତ୍ସରୁ ସଂଗୃହୀତ ଔଷଧ ରୋଗୀଙ୍କ ପାଇଁ ବରଦାନ ସଦୃଶ ହୋଇପାରିଥିଲା । ଏଲୋପାଥିକ ରୋଗ ପରି ହୋମିଓପାଥିରେ ରୋଗ ଜୀବାଣୁକୁ ଦମନ ପାଇଁ ପ୍ରୟାସ ହୋଇନଥିଲା ବରଂ ଶରୀରର ଅନ୍ତଃଭାଗରେ ଏକ ସମାନ୍ତରାଳ ଶକ୍ତି ବିକଶିତ କରାଯାଉଥିଲା । କାଳକ୍ରମେ ଏହି ଶକ୍ତି ରୋଗ ଜୀବାଣୁକୁ ପ୍ରଭାବ ଶୂନ୍ୟ କରିଦେଉଥିଲା । କିନ୍ତୁ ଏହି ଚିକିତ୍ସା ପଦ୍ଧତି ସମୟ ସାପେକ୍ଷ । ଶରୀରର ଅନ୍ତଃଭାଗରେ ସମାନ୍ତରାଳ ଶକ୍ତି ବିକଶିତ କରିବା ପାଇଁ ଅଧିକ ସମୟର ଆବଶ୍ୟକତା କାରଣରୁ ତୀବ୍ର ଯନ୍ତ୍ରଣାରୁ ମୁକ୍ତ ହେବାକୁ ଚାହୁଁଥିବା ରୋଗୀଙ୍କ ପାଇଁ ଏହା ପସନ୍ଦ ଯୋଗ୍ୟ ହୋଇପାରିନଥିଲା । କିନ୍ତୁ ଏହା ଏଲୋପାଥିକଠାରୁ ଅଧିକ ପ୍ରଭାବୀ ପ୍ରମାଣିତ ହୋଇଥିଲା ।

Also Read: Vedic Wisdom: 'ବେଦ'କୁ ବିଦେଶୀ ପଢ଼ନ୍ତି କାହିଁକି?

ଆୟୁର୍ବେଦିକ ଚିକିତ୍ସା ପଦ୍ଧତିର ଆଦୃତି ଓ କ୍ରମବିକାଶର କାରଣ

ଭାରତରେ ବ୍ରିଟିସ ଶାସନ ପୂର୍ବରୁ ଏଲୋପାଥିକ ଚିକିତ୍ସା ପଦ୍ଧତିର ଉପଯୋଗ ନଥିଲା । ପାରମ୍ପରିକ ଭାବେ ଭାରତୀୟମାନେ ଆୟୁର୍ବେଦ ଉପରେ ନିର୍ଭରଶୀଳ ଥିଲେ । ସର୍ବରୋଗର ଚିକିତ୍ସା ପାଇଁ ଏପରିକି ଅସ୍ତ୍ରଉପଚାର ପାଇଁ ମଧ୍ୟ ଭାରତରେ ଆୟୁର୍ବଦର ଉପଯୋଗ ହେଉଥିବାର ପ୍ରମାଣ ରହିଛି । ଭାରତରେ ଶୁଶ୍ରୁତ, ଚରକଙ୍କ ପରି ଆୟୁର୍ବେଦ ଶାସ୍ତ୍ରୀ ଏହି ଚିକିତ୍ସା ପଦ୍ଧତିକୁ ଲୋକଙ୍କ ଆସ୍ଥାଭାଜନ କରାଇଥିଲେ । ବିଦେଶୀଙ୍କ ଆକ୍ରମଣ ପୂର୍ବରୁ ଭାରତରେ ତତ୍କାଳୀନ ବିଶ୍ୱବିଦ୍ୟାଳୟ ତକ୍ଷଶୀଳା, ନାଳନ୍ଦାରେ ଆୟୁର୍ବେଦର ଗବେଷଣା ପାଇଁ ସୁବ୍ୟବସ୍ଥା ଥିଲା । ସମ୍ପୂର୍ଣ୍ଣ ପାର୍ଶ୍ୱ ପ୍ରତିକ୍ରିୟା ଶୂନ୍ୟ ଏହି ଚିକିତ୍ସା ପଦ୍ଧତି ଭାରତୀୟଙ୍କୁ ଦୀର୍ଘ ନିରାମୟ ଜୀବନ ପାଇଁ ସକ୍ଷମ କରାଇଥିଲା । ଏଥିରେ ରୋଗ ଜୀବାଣୁକୁ ସଂମ୍ପୂର୍ଣ୍ଣ ବିନାଶ କରିବା ପାଇଁ ରୋଗ ଜୀବାଣୁର ମୂଳ ଉତ୍ସକୁ ଚିହ୍ନଟ କରାଯାଉଥିଲା । ଯେଉଁ କାରଣରୁ ରୋଗ ଜୀବାଣୁ ସକ୍ରିୟ ହେଉଥିଲେ, ସେହି ଦ୍ୱାରକୁ ବନ୍ଦ କରିବାକୁ ଆୟୁର୍ବେଦ ସକ୍ଷମ ଥିଲା । ପ୍ରାଚୀନ ଭାରତବର୍ଷର ମୁନୀ, ଋଷିଙ୍କ ଅନୁଧ୍ୟାନ ଖୁବ ଗଭୀର ଥିଲା ।  ବର୍ତ୍ତମାନ ସମୟରେ ଉଭୟ ଏଲୋପାଥିକ ଓ ହୋମିଓପାଥିକ ଚିକିତ୍ସାରେ ଆୟୁର୍ବେଦରେ ପ୍ରଦତ୍ତ ମହା ଔଷଧର ପ୍ରୟୋଗ ହେଉଛି । ଏପରିକି ଆୟୁର୍ବେଦର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତର ଗୁଜରାଟରେ ବିଶ୍ୱ ଆୟୁର୍ବେଦ ଗବେଷଣା କେନ୍ଦ୍ର ସ୍ଥାପନ କରିଛି ।

Also Read: Pranayama: ପ୍ରାଣାୟାମ କଣ? ପ୍ରାଣାୟାମ କେତେ ପ୍ରକାର ଓ କିପରି କରାଯାଏ?

ସମାଧାନର ଅମୋଘ ଅସ୍ତ୍ର

ଭୂଲ ଜୀବନ ଶୈଳୀ, ଆଳସ୍ୟତା ଓ ମାନସିକ ଚାପବୃଦ୍ଧି ଆଧୁନିକ ମଣିଷଠାରେ ଆଧୁନିକ ବ୍ୟାଧି ସୃଷ୍ଟି କରୁଥିବା ପ୍ରମାଣିତ ହୋଇ ସାରିଛି । ଏହାର ପ୍ରତିକାର ପାଇଁ କୌଣସି ବି ଔଷଧ ସମାଧାନର ଅମୋଘ ଅସ୍ତ୍ର ହେବା ସମ୍ଭବପର ନୁହେଁ । ସମସ୍ତ ରୋଗର ସ୍ଥାୟୀ ପ୍ରତିକାର ପାଇଁ ଦୀର୍ଘ ଅନୁସନ୍ଧାନ ପରେ ବିଜ୍ଞାନୀମାନେ ଯୋଗପଦ୍ଧତିକୁ ପୁନର୍ବାର ଆବିଷ୍କାର କଲେ  । ଯୋଗକୁ ପ୍ରାୟୋଗିକ ମନୋବିଜ୍ଞାନର ସ୍ଵୀକୃତି ଦେବା ସହ ଚିକିତ୍ସା ପାଇଁ ସ୍ନାୟୁ ପ୍ରତିରକ୍ଷାତନ୍ତ୍ର ବା ସାଇକୋ ନ୍ୟୁରୋ ଇମ୍ୟୁନୋଲୋଜିର ବିକାଶ ସମ୍ପର୍କିତ ଗବେଷଣାକୁ ପ୍ରାଧାନ୍ୟ ଦିଆଗଲା । ବିନା ଔଷଧରେ ଯୋଗ ଦ୍ୱାରା ରୋଗନାଶ ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିର ପ୍ରମାଣ ମିଳିଲା । 

ହଜାର ହଜାର ବର୍ଷ ଧରି ଭାରତରେ ଯୋଗ ଓ ଆୟୁର୍ବେଦର ପ୍ରୟୋଗାତ୍ମକ ଦିଗ ପ୍ରତି ଆଖି ବୁଜିଦେଇଥିବା ପାଶ୍ଚାତ୍ୟ ପଣ୍ତିତ ଶେଷରେ ଯୋଗର ଗୁଣଗାନ କଲେ । ସାରା ବିଶ୍ୱ ଯୋଗକୁ ପୁଣିଥରେ ସୁଦୃଷ୍ଟିରେ ଦେଖିବା ସହ ଆଦରି ନେବାକୁ ହାତ ବଢ଼ାଇଲା । ୨୦୧୮ରୁ ସାରା ବିଶ୍ୱ ଯୋଗ ଦିବସ ପାଳନ କରି ଭାରତର ପ୍ରାଚୀନ ଜ୍ଞାନ ପ୍ରତି ସମ୍ମାନ ପ୍ରଦର୍ଶନ କଲେ ।

Also Read: Sun Salutation: ସୂର୍ଯ୍ୟ ନମସ୍କାରର ସଠିକ୍ ବିଧି, ଯୋଗାସନ ଓ ମନ୍ତ୍ର

ଯୋଗ  ଏକ ବିଜ୍ଞାନସମ୍ମତ ଦର୍ଶନ

ଯୋଗ ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରାୟୋଗିକ ମୂଲ୍ୟ ବହନ କରୁଥିବା  ଏକ ବିଜ୍ଞାନସମ୍ମତ ଦର୍ଶନ । ଯୋଗ କୌଣସି ପ୍ରାକୃତିକ ନିୟମର ବିରୋଧାଚରଣ କରେନାହିଁ  । ବରଂ ପଞ୍ଚଇନ୍ଦ୍ରିୟ, ମନ, ପ୍ରାଣ କ୍ରିୟାକୁ ସମନ୍ଵିତ ଓ ଶୃଙ୍ଖଳିତ କରି ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ  । ମନକୁ ପ୍ରଶାନ୍ତ କରିବା ସହ ମାନସିକ ଭାରସାମ୍ୟ ରକ୍ଷା କରେ । ଯୋଗ ଦ୍ଵାରା ଶରୀର ଓ ମନର ସର୍ବୋତ୍ତମ ସ୍ଵାସ୍ଥ୍ୟରକ୍ଷା ସମ୍ଭବପର, ଆଧୁନିକ ବୈଜ୍ଞାନିକ ଅନୁଧ୍ୟାନଗୁଡିକରେ ଏହା ପ୍ରମାଣିତ ହୋଇଛି । ଯୋଗ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢାଇବା ସହ ରୋଗଜୀବାଣୁକୁ ପ୍ରତିହତ କରିପାରୁଛି । 

©ପ୍ରକାଶ ରଂଜନ ପରିଡ଼ା


Also Read: Important Physical and Emotional Health Benefits of Pranayama





Post a Comment

0 Comments