Self Realization: ଯୋଗ ଦର୍ଶନରେ 'ଭଗବାନ'! ଅନନ୍ତ ମାର୍ଗରେ 'ଯୋଗୀ' 🪔




ଛୋଟ ପିଲାଙ୍କୁ ସବୁବେଳେ ଅଭିଭାବକ, ଶିକ୍ଷକ, ଗୁରୁଜନ ପାଠ ପଢ଼ିବାକୁ କୁହନ୍ତି କିନ୍ତୁ...

କ'ଣ ପଢ଼ିବାକୁ କୁହାଯାଏ?

କେତୋଟି ବହି? 

ସେ ବହିରେ କ'ଣ ଥାଏ?

ବହି ପଢ଼ି କ'ଣ କେହି ଦୁନିଆକୁ ଜାଣିପାରେ?

ମାତ୍ର କେତେ ଖଣ୍ଡ ବହି ପଢ଼ି କଣ କେହି  ଜ୍ଞାନୀ ହୋଇପାରେ?

 

ବାସ୍ତବରେ ଉଚ୍ଚାରଣ କରାଯାଏ ନାହିଁ କିନ୍ତୁ କୁହାଯାଏ- "ନିଜକୁ ପଢ଼, ଦୁନିଆକୁ ପଢ଼"

(ପ୍ରଥମେ ବହି ପଢ଼ିବା ଶିଖ, କିନ୍ତୁ କେବଳ ବହି ପୃଷ୍ଠାକୁ ଜ୍ଞାନ ଭଣ୍ଡାର ନଭାବି ବାହାର ଦୁନିଆକୁ ଦେଖ ଓ ନିଜକୁ ପଢ଼ । ନିଜ ଚିନ୍ତା, ଚେତନାକୁ ବୁଝ, ନିଜ ଭାଗ୍ୟ ନିଜେ ନିର୍ମାଣ କର )


ଆତ୍ମଜ୍ଞାନ କଣ?


ମାତ୍ର ଦୁଇ ବର୍ଷ ବୟସରୁ ଆମେ କଥା କହିବା ଶିଖିଯାଆନ୍ତି । କିନ୍ତୁ କଣ କହିବା, କିପରି କହିବା ଆଉ କେତେବେଳେ କହିବା ଶିଖିବାକୁ ଆୟୁଷ ବି ଅଭାବ ପଡ଼େ ।  ଠିକ୍ ସେମିତି ପଞ୍ଚତତ୍ତ୍ୱ,  ପିଣ୍ଡ ଓ ବ୍ରହ୍ମାଣ୍ଡର ନିର୍ମାଣ କରିଥାଏ । ପ୍ରତି ମୁହୂର୍ତ୍ତରେ ଆମେ ପଞ୍ଚତତ୍ତ୍ୱର ସଂସ୍ପର୍ଶରେ ଆସୁଥିଲେ ବି ଜୀବନର ଏହି ମୂଳ ଉପାଦାନକୁ ଅନ୍ତ ଯାଏ ଚିହ୍ନି ପାରି ନଥାନ୍ତି ।  


ଛିତୀ ଜଲ ପାବକ ଗଗନ ସମୀରା, 

ପଞ୍ଚତତ୍ତ୍ୱ ରଚିତ ଅଧମ ଶରୀର। । 

 

छिति जल पावक गगन समीरा। पंच रचित अति अधम सरीरा


ଅର୍ଥାତ୍ ପଞ୍ଚତତ୍ତ୍ୱ (ପୃଥିବୀ, ଜଳ, ଅଗ୍ନି,  ବାୟୁ ଓ ଆକାଶ)ରେ ଗଢ଼ା  ମାନବ ଶରୀର । ଏହି ପଞ୍ଚତତ୍ତ୍ୱର ସଂଯୋଗରେ ଶରୀରର ପୋଷଣ ହୋଇଥାଏ ଏବଂ ପରିଶେଷରେ ସେହି ପଞ୍ଚତତ୍ତ୍ୱରେ ହିଁ ବିଲୀନ ହୋଇଥାଏ । 


ନୂଆ ମୋବାଇଲ ଫୋନଟିଏ କ୍ରୟ କରିବା ପରେ ସେଥିରେ ପୂର୍ବରୁ କିଛି ଜରୁରୀ ଆବଶ୍ୟକୀୟ ପ୍ରି-ଇନଷ୍ଟଲେଡ ଆପ୍ଲିକେସନ ରହିଥାଏ । କିନ୍ତୁ ସେହି ଆପ୍ଲିକେସନକୁ ବ୍ୟବହାର କରିବା ପାଇଁ ବ୍ୟବହାରକାରୀ ବାଧ୍ୟ ନୁହଁନ୍ତି । ମୋବାଇଲ ଫୋନ୍ ବ୍ୟବହାରକାରୀ ଚାହିଁଲେ ନିଜ ମନ ପସନ୍ଦର ଆପ୍ଲିକେସନ ଡାଉନଲୋଡ କରି ନୂଆ ମୋବାଇଲରେ ଇନଷ୍ଟଲେସନ କରିଥାଆନ୍ତି ।  ମଣିଷ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଏହା ମଧ୍ୟରେ ହିଁ ରହିଛି । 


ମଣିଷ ଜନ୍ମ ପରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଜୀବନୀ ଶକ୍ତି, ପୂର୍ବପିଢ଼ିରୁ (ଜେନେଟିକ) ଉତ୍ତରିତ ସ୍ମରଣ ଶକ୍ତି ପରିଚାଳିତ କରିଥାଏ । ଜନ୍ମ ସମୟରେ କିପରି କାନ୍ଦିବାକୁ ହୁଏ, କିପରି ଗୋଡ଼ ହଲାଇବାକୁ ହୁଏ, ଏକଥା ଶିଶୁକୁ କେହି ଶିକ୍ଷା ଦେଇ ନଥାଏ । ସ୍ୱତଃ ଶିଶୁଟି ଏପରି ଆଚ୍ଚରଣ କରିଥାଏ କିପରି ? ପ୍ରି-ଲୋଡେଡ ସପ୍ଟୱେର ପରି ସୁକୃତ ହିଁ କାର୍ଯ୍ୟ କରିଥାଏ । ଧୀରେଧୀରେ ଶିଶୁ ବଡ଼ ହୋଇଥାଏ । ପାଠ ପଢ଼େ, ପରିବାର, ପରିବେଶକୁ ଦେଖେ ଶିଖେ, ଜୀବନ ଜୀଏଁ । ଅନେକ କଥା ମନେରଖେ, ଅନେକ ଭୁଲିଯାଏ । ମନେ ରଖିବାକୁ ଚାହିଁଥିବା ଅନେକ କଥା ଭୁଲିଯାଏ, କିନ୍ତୁ ମନେ ରଖିବାକୁ ଚାହିଁନଥିବା ଅନେକ ଘଟଣା, ଦୁର୍ଘଟଣାର ତଥ୍ୟ ଆପେ ମନେ ରହିଯାଏ । 


କେହି ଚାକିରି କରେ, କେହି ବ୍ୟବସାୟ ଆଉ କିଏ ବେକାର ହୁଏ  । ଯାହାକୁ ଲୋକେ ଭାଗ୍ୟ ବୋଲି କହିଥାନ୍ତି । ହସ୍ତରେଖା ଓ କପାନ ଲିଖନକୁ ଦୋଷ ଦେଇଥାନ୍ତି । କିନ୍ତୁ ମଣିଷ ଏକମାତ୍ର ଜୀବ, ଯିଏ ନିଜେ ହିଁ ନିଜର ଭାଗ୍ୟ ନିର୍ମାଣ କରିଥାଏ, ପ୍ରାଚୀନ ଭାରତୀୟ ପରମ୍ପରାରେ ଶିକ୍ଷାରମ୍ଭ ପରେ ଶିଶୁଙ୍କୁ ସର୍ବପ୍ରଥମେ ଗୁରୁ ଏହି ଶିକ୍ଷା ପ୍ରଦାନ କରୁଥିଲେ । ହସ୍ତରେଖା ଭାଗ୍ୟରେଖା ହୋଇପାରେ, କିନ୍ତୁ ଏହା କେବଳ ଇନବିଲ୍ଡ ସପ୍ଟୱେର ପ୍ରୋଗ୍ରାମିଂ ପରି କାର୍ଯ୍ୟ କରିଥାଏ । ଅର୍ଥାତ ନିଜ ଜୀବନକୁ ନିୟନ୍ତ୍ରଣ କରିବାର ଦକ୍ଷତା ଯଦି ଆମେ ଆହରଣ କରିନପାରନ୍ତି, ତେବେ ଭାଗ୍ୟ ନିର୍ଦ୍ଧାରିତ ପଥରେ ଯିବା ପାଇଁ ଆମେ ବାଧ୍ୟ ହୋଇଥାନ୍ତି । କିନ୍ତୁ ମଣିଷ ପ୍ରତି ମୁହୂର୍ତ୍ତରେ ନିଜ ଭାଗ୍ୟ ପରିବର୍ତ୍ତନ କରିବା ପାଇଁ ସ୍ରଷ୍ଠା ପୂର୍ଣ୍ଣ କ୍ଷମତା ଦେଇଛନ୍ତି । ଜୀବନର ୪ଟି ମୂଖ୍ୟ ଶକ୍ତିର ଉତ୍ସ ଯଥା- 

  1. ଶାରୀରିକ ଶକ୍ତି (Physical Energy)
  2. ମାନସିକ ଶକ୍ତି (Mental Energy)
  3. ଭାବ ଶକ୍ତି (Emotional Energy)
  4. ଜୀବନୀ ଶକ୍ତି (Life Energy)


ଏହି ସମସ୍ତ ଶକ୍ତିର ପୂର୍ଣ୍ଣ ନିୟନ୍ତ୍ରଣ କ୍ଷମତା ମଣିଷ ହାତରେ ରହିଛି । 


Also Read: Yoga Darshan: ପିଣ୍ଡ ଓ ବ୍ରହ୍ମାଣ୍ଡ- ଆତ୍ମଗୁରୁ ସନ୍ଧାନ ଓ ପ୍ରାପ୍ତିର ଗୁପ୍ତସୁତ୍ର 


ଯୋଗ ଦର୍ଶନରେ 'ଭଗବାନ


ମଣିଷ ବ୍ୟତୀତ ଅନ୍ୟ ସମସ୍ତ ଜୀବନ ପାଇଁ ସ୍ରଷ୍ଠା ଜନ୍ମ ଓ ମୃତ୍ୟୁ ରେଖା ନିର୍ଦ୍ଦିଷ୍ଟ ରଖିଛନ୍ତି । ସମସ୍ତ ପଶୁ, ପକ୍ଷୀଙ୍କ ଜୀବନ ପ୍ରକୃତିର ନିୟମ ଅନୁଯାୟୀ ପରିଚାଳିତ, କିନ୍ତୁ ମଣିଷ ନିଜର ପ୍ରତିଟି ପଦକ୍ଷେପକୁ ନିଜେ ହିଁ ନିର୍ଦ୍ଧାରିତ କରିଥାଏ । ନିଜ ଶରୀରକୁ କିପରି ଗଠନ କରିବ, ନିଜ ମାନସିକ ସ୍ୱାସ୍ଥ୍ୟର ଯତ୍ନ କିପରି ନେବ, ନିଜ ଭାବ ଶକ୍ତି ଓ ଜୀବନୀ ଶକ୍ତିକୁ କିପରି ନିୟନ୍ତ୍ରଣ କରିବ, ଏହି ନିଷ୍ପତ୍ତି ମଣିଷ ହିଁ ନେଇଥାଏ କିମ୍ବା ନିଜକୁ ପ୍ରକୃତି ଓ ସମୟ ସ୍ରୋତରେ ଭସାଇ ଦିଏ ।  


ଯଦି ମଣିଷ ନିଜର ଖାଦ୍ୟ ଓ ପାନୀୟ ପ୍ରତି ସତେତନ ହୋଇପାରେ, ତେବେ ଶରୀର ଗଠନର ପୂର୍ଣ୍ଣ କ୍ଷମତା ମଣିଷ ହାତକୁ ଆସିପାରେ । ଯଦି ମଣିଷ ନିଜର ମାନସିକ ଶକ୍ତିକୁ ସୁସଂହତ କରିବା ସହ ସୁବ୍ୟବହାର କରିପାରେ ତେବେ ନିଜ ମାନସ ଗଠନ କ୍ଷମତା ମଧ୍ୟ ମଣିଷ ହାତକୁ ଆସିଯାଏ । ଏହାସହିତ ଯଦି ଭାବ ଶକ୍ତି ଓ ଜୀବନୀ ଶକ୍ତିକୁ ମଣିଷ ଉପଯୁକ୍ତ ବ୍ୟବହାର କରିପାରେ ତେବେ ନିଜ ଭାଗ୍ୟ ନିର୍ମାଣର ଶତକଡ଼ା ଶହେ ପ୍ରତିଶତ ଶକ୍ତି ମଣିଷ ହାତରେ ହିଁ ରହିପାରେ । 


ଏହାକୁ ହିଁ ଯୋଗ କୁହାଯାଏ । ପତଞ୍ଜଳି ଯୋଗ ସୂତ୍ର ଅନୁସାରେ –

“ଯୋଗଶ୍ଚିତ ବୃତ୍ତିନିରୋଧଃ “


ଅର୍ଥାତ- ଚିତ୍ତବୃତ୍ତିକୁ ରୋକିବାକୁ ଯୋଗ କୁହାଯାଏ । ଯୋଗ ଆମ ଶରୀର ମନ ଏବଂ ଆତ୍ମା ମଧ୍ୟରେ ସଂଯମତା ବା ସନ୍ତୁଳନ ରକ୍ଷା କରିଥାଏ । ପ୍ରାଚୀନ ଭାରତବର୍ଷରେ ମୂନୀ, ଋଷି ବର୍ଷବର୍ଷର ସାଧନା ବଳରେ ମାନବ ଶରୀର, ମାନସ ଗଠନକୁ ଅତି ସୂଷ୍ମ ଭାବେ ଅନୁଧ୍ୟାନ କରିଥିଲେ । ବେଦ, ଉପନିଷେଦରେ ଯେଉଁ ଶିକ୍ଷା ସ୍ଥାନିତ ହୋଇଛି । ନିଜ ଭିତରେ ଭଗବାନଙ୍କ ଦର୍ଶନ ବା ଭାଗ୍ୟ ନିର୍ମାଣର ସୁତ୍ରକୁ ସଂସାର ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ଭାରତୀୟ ମୁନୀ, ଋଷି । 


ଅଷ୍ଟାଙ୍ଗ ଯୋଗ ସାଧନା ଶରୀରରୁ ସମସ୍ତ ରୋଗ ଦୂର କରିବା ସହ ମସ୍ତିଷ୍କକୁ ଚିନ୍ତାମୁକ୍ତ କରିଥାଏ । ନିଜ ଭିତରେ ହିଁ ସୃଷ୍ଟି ରହସ୍ୟକୁ ପ୍ରତ୍ୟକ୍ଷ କରିଥାନ୍ତି ଯୋଗୀ । ତେଣୁ ବ୍ରହ୍ମାଣ୍ଡ ବଦଳରେ ନିଜ ଅନ୍ତର ପ୍ରତି ଯୋଗୀ ସର୍ବଦା ଉନ୍ମୁଖ ହୋଇଥାନ୍ତି । ସ୍ୱଶରୀରରେ ହିଁ ସ୍ରଷ୍ଠାଙ୍କ ସୃଷ୍ଟିକୁ ଦର୍ଶନ କରିବା ପରେ ଯୋଗୀଙ୍କ ପାଇଁ ବାହ୍ୟ ଜଗତର ପ୍ରତିଟି ଉପାଦାନ ବୋଧଗମ୍ୟ ହୋଇପାରେ । ବାସ୍ତବରେ ଯୋଗୀଙ୍କୁ ''ମୁଁ କିଏ'' ପ୍ରଶ୍ନର ସଠିକ ଉତ୍ତର ମିଳିପାରିଥାଏ ।


Sukruta memory power from previous generations | Yogashree


Also Read: Vedic Education System: ବୈଦିକ କାଳରେ ଗୁରୁକୂଳରେ କଣ ପଢୁଥିଲେ ଭାରତୀୟ ବିଦ୍ୟାର୍ଥୀ ? 


ମୁଁ କିଏ?


ଶରୀର ଏବଂ ମନ- ଦୁଇଟି ଭିନ୍ନ ଉପାଦାନ ହୋଇଥିଲେ ମଧ୍ୟ ପରସ୍ପର ସହ ଅଙ୍ଗାଙ୍ଗି ଭାବେ ଜଡ଼ିତ । ଗୋଟିଏ ଅନ୍ୟ ଟିକୁ ପ୍ରଭାବିତ କରେ ।  କିନ୍ତୁ କେବଳ ଶରୀର ଓ ମନ କଣ ଆମ ଜୀବନକୁ ନିୟନ୍ତ୍ରଣ କରେ? ଶରୀରର ପ୍ରତି ଅଂଶକୁ ଆମେ ଆମର ବୋଲି ଦାବି କରିପାରନ୍ତି, କିନ୍ତୁ 'ମୁଁ' ବୋଲି ଦାବି କରିପାରିବା ନାହିଁ । ଅର୍ଥାତ ଶରୀରର ପ୍ରତିଟି ଅଙ୍ଗ ହାତ, ଗୋଡ଼, ଅଣ୍ଟା, ପେଟ, ପିଠି, ଛାତି, ମୁଣ୍ଡ ସବୁକିଛି ଆମର ନିଜସ୍ୱ ସମ୍ପତ୍ତି ହୋଇପାରେ, କିନ୍ତୁ କୌଣସି ଅଂଶ 'ମୁଁ' ନୁହେଁ । ଠିକ୍ ସେହିପରି ସ୍ମରଣରେ ଥିବା ସମସ୍ତ ତଥ୍ୟ, ଆମ ଦ୍ୱାରା ସଂଗୃହୀତ ତଥ୍ୟ ହୋଇପାରେ, କିନ୍ତୁ 'ମୁଁ' ନୁହେଁ । ତେବେ 'ମୁଁ' କିଏ? ଏପରି କିଛି ଅଦୃଶ୍ୟ ଶକ୍ତି ରହିଛି, ଯାହା ଆମ ଶରୀର ଏବଂ ମନକୁ ନିୟନ୍ତ୍ରଣ କରୁଛି । ଯାହାକୁ ଆମେ ଚେତନା ଅଥବା ଆତ୍ମା କହିଥାନ୍ତି । ଯୋଗ ଆମ ଶରୀର-ମନ-ଆତ୍ମାକୁ ସଂଯୁକ୍ତ କରିଥାଏ । ଶରୀର ରୋଗାକ୍ରାନ୍ତ ହେଲେ ମନ ଦୁର୍ବଳ ହୋଇପଡ଼େ ଏବଂ ଆତ୍ମା ସହିତ ମନ ଓ ଶରୀରର ବନ୍ଧନ ଦୁର୍ବଳ ହୋଇପଡେ । ଯୋଗ ଦ୍ଵାରା ମଣିଷର ଶରୀର, ମନ ଏବଂ ଆତ୍ମା ପ୍ରତ୍ୟେକ ସ୍ତରରେ ସମୃଦ୍ଧ ହୋଇଥାଏ । 


ଅନନ୍ତ ମାର୍ଗରେ 'ଯୋଗୀ' 


ଯୋଗ ଦର୍ଶନ ଅନୁଯାୟୀ ଜୀବାତ୍ମା-ପରମାତ୍ମାଙ୍କ ମିଳନ। ବା ସଂଯୁକ୍ତି ହେଉଛି ଯୋଗର  ପରମ ଲକ୍ଷ୍ୟ । ମୌଳିକ ଶକ୍ତି ଉତ୍ସରୁ ବିଚ୍ଛିନ୍ନ ହୋଇ ରହିଥିବାରୁ ହିଁ ମଣିଷ ମଧ୍ୟରେ ଅହଂକାର, ପ୍ରତିପତ୍ତି ପ୍ରତି ଆକର୍ଷଣ ଭରି ରହିଥାଏ । ଯଦି ଆମେ ମୂଳ ଶକ୍ତି ଉତ୍ସ ସହିତ ସଂଯୁକ୍ତ ହୋଇପାରିବା ଓ ନିଜର ସମସ୍ତ ଚିନ୍ତା, କାର୍ଯ୍ୟ, ସମସ୍ୟାକୁ ସେହି ମୂଳ ଶକ୍ତିକୁ ସମର୍ପଣ କରିଦେଇପାରିବା, ତେବେ ଆମେ ମୂଳ ଉତ୍ସ ସହିତ ପୂର୍ଣ୍ଣ ସଂଯୁକ୍ତ ରହିପାରିବା । ବାସ୍ତବିକ ଏହା ହିଁ ହେଉଛି ଯୋଗର ମୌଳିକ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ।


ନିଜକୁ ପୁନଃ ଆବିଷ୍କାର କରିବା ନିମନ୍ତେ ଯୋଗ ମଣିଷର ଜ୍ଞନଚକ୍ଷୁ ଉନ୍ମୁକ୍ତ କରିଥାଏ । ଯୋଗ କ୍ରିୟା  ଶରୀର ଓ ମନକୁ ସୁସ୍ଥ ରଖୁବାର ଏକ ଦୈନନ୍ଦିନ ପ୍ରକ୍ରିୟା ବା କର୍ମପଦ୍ଧତି ଏବଂ ଏହା ସମ୍ପୂର୍ଣ୍ଣ ଭାବରେ ଏକ ବ୍ୟକ୍ତିଗତ ସାଧନା । ସୁତରାଂ ଯୋଗ ଦ୍ଵାରା ଉଭୟ ଶାରୀରିକ ଓ ମନସ୍ତାତ୍ତ୍ଵିକ ପରିବର୍ତ୍ତନ ସଂଘଟିତ ହେବା ଅତ୍ୟନ୍ତ ସ୍ୱଭାବିକ ।


ଅସ୍ତିତ୍ୱ ଭିତରେ ନିରାକାରଙ୍କ ସତ୍ତା ଉପଲବ୍ଧି ପାଇଁ ଯୋଗ ଏକ ଆଧ୍ୟାତ୍ମିକ ସାଧନା ଅଟେ । ଏପରିକି ଉତ୍ତରିତ ପର୍ଯ୍ୟାୟରେ ଯୋଗୀ  ବାସ, ବସ୍ତ୍ର, ଆହାର, ସ୍ୱାସ୍ଥ୍ୟ ଓ ଅସ୍ତିତ୍ୱ ମଧ୍ୟ ପ୍ରତ୍ୟାହାର କରିବାକୁ ପ୍ରସ୍ତୁତ ହୋଇପାରନ୍ତି । କାରଣର ଜୀବନର ପରମ ଇପସିତଙ୍କୁ ପ୍ରାପ୍ତି ପରେ ଆଉ କିଛି ପ୍ରାପ୍ତିର ଆଶା କିମ୍ବା ନିରାଶା ନଥାଏ ।

  1. ବାସ ପ୍ରତ୍ୟାହାର 
  2. ବସ୍ତ୍ର ପ୍ରତ୍ୟାହାର
  3. ଆହାର ପ୍ରତ୍ୟାହାର
  4. ସ୍ୱାସ୍ଥ୍ୟ ପ୍ରତ୍ୟାହାର
  5. ଅସ୍ତିତ୍ୱ ପ୍ରତ୍ୟାହାର


©ପ୍ରକାଶ ରଂଜନ ପରିଡ଼ା


Also Read: Science-Based Benefits of Yoga: ପରିବର୍ତ୍ତନ ନୁହେଁ, ମନ ଓ ଶରୀରର ପୁନଃ ନିର୍ମାଣ କରେ ଯୋଗ 



Yogashree explainer | Yogashree



Post a Comment

0 Comments