Confusion to Conclusion: କିପରି ଓ କେଉଁଠୁ ଆରମ୍ଭ କରିବେ ଯୋଗ? ପ୍ରଥମେ କଣ କରିବେ🤔

 

Confusion to conclusion- how to start Yoga| Yogashree

କିପରି ଓ କେଉଁଠୁ ଆରମ୍ଭ କରିବେ ଯୋଗ? What to Do First?


🎯ଯୋଗ କରିବାକୁ ଚାହେଁ, କିନ୍ତୁ କେଉଁଠୁ ଆରମ୍ଭ କରିବି ?🤫

🎯ସର୍ବପ୍ରଥମେ କଣ କରିବି- ପ୍ରାଣାୟାମ, ଧ୍ୟାନ, ସୂର୍ଯ୍ୟନମସ୍କାର କିମ୍ବା ଯୋଗାସନ?😕

🎯ଯୋଗାସନ କରିପାରୁନି, କଷ୍ଟ ଲାଗୁଛି...ମେଡିଟେସନ କଲେ ଭଲ ହେବ କି?😖

🎯ସୁସ୍ଥ ଶରୀର ପାଇବା ପାଇଁ କଣ କରିବି- ଯୋଗ ନା ମେଡିଟେସନ?😑

🎯ମାନସିକ ଶାନ୍ତି ଚାହୁଁଛି, ଜୀବନ ବହୁତ କଷ୍ଟ ଦେଲାଣି- ଧ୍ୟାନ କଲେ ଠିକ୍ ହେବ କି?🤨

🎯କେବଳ ପ୍ରାଣାୟାମ କରୁଛି...କିନ୍ତୁ ସେମିତି କିଛି ଫିଲ୍ କରିପାରୁନି...🤯

🎯ଅନେକ ଦିନ ହେବ ଯୋଗ କରୁଛି, କିଛି ଫରକ୍ ପଡୁନି...☹️

🎯ଯୋଗ କରିବିନି, ଦେହ ଖରାପ ହେଉଛି...🙃

🎯ଆରମ୍ଭ କରିଥିଲି ଯେ, ବହୁତ ସମସ୍ୟା ହେଲା...ଛାଡ଼ିଦେଲି...😣

🎯ଛାଡ଼...ଏତେ କଷ୍ଟ କରି କଣ ମିଳିବ...କିଏ ଅମର ହେବ କି?😏

🎯...ବାବାଙ୍କ ପରି କଲି ଯେ, ୮ ଦିନ ମେଡିକାଲରେ ପଡ଼ିଲି...🤔

🎯...ଗୁରୁ, ଯେମିତି କହିଥିଲେ କଲି ଯେ, ଅଣ୍ଟା ଜଖମ ହୋଇଗଲା...😌


କେବଳ ଏହି ୧୨ଟି ପ୍ରଶ୍ନ ନୁହେଁ, ଏପରି ଅଗଣତି ପ୍ରଶ୍ନ....

ଯୋଗ କରିବା ପାଇଁ ମନରେ ଆଗ୍ରହ ଥିଲେ ବି ଏପରି ଅନେକ ପ୍ରଶ୍ନ ମନକୁ ପଛକୁ ଟାଣି ନିଏ । ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ । କଣ ଠିକ୍....କଣ ଭୁଲ୍...ଏପରି କରିବି ନା ସେପରି କରିବି...ସେ ଯେପରି କରୁଛନ୍ତି, ସେମିତି କରିବି ନା ବହିରେ ଯାହା ଲେଖା ଯାଇଛି ସେପରି କରିବି ....ଏହିସବୁ ପ୍ରଶ୍ନ ଯୋଗୁ ଅନେକ ଲୋକ ଶେଷ ପର୍ଯ୍ୟନ୍ତ ଆରମ୍ଭ କରିପାରନ୍ତି ନାହିଁ । ଆଶା-ଆଶାରେ ରହିଯାଏ ।  


''ଭାରତରେ ପ୍ରକୃତ ଯୋଗୀଙ୍କ ସଂଖ୍ୟା ନଗଣ୍ୟ''


ଭାରତ ମାଟିରେ ଯୋଗ ବିଜ୍ଞାନର ସୃଷ୍ଟି ହୋଇଥିଲେ ବି ଆଜି ଭାରତରେ ପ୍ରକୃତ ଯୋଗୀଙ୍କ ସଂଖ୍ୟା ନଗଣ୍ୟ । ଅନୁସନ୍ଧାନ ଅନୁସାରେ (Pew Research Center) ଭାରତରେ ମାତ୍ର ୭ ପ୍ରତିଶତ ଲୋକ ନିୟମିତ ଯୋଗ କରିଥାନ୍ତି । ଯଦିଓ ଭାରତରେ ମୋଟ ଯୋଗ କରୁଥିବା ଲୋକଙ୍କ ସଂଖ୍ୟା ୩୫ ପ୍ରତିଶତ ହୋଇଥିବା ଦର୍ଶାଯାଇଛି।  ଏହି ବ୍ୟକ୍ତିମାନେ ନିୟମିତ ଯୋଗ କରନ୍ତି ନାହିଁ, କିନ୍ତୁ ଜୀବନର କାଳ ଖଣ୍ଡରେ ସେମାନେ କେବେ ନା କେବେ ଯୋଗ କରିଛନ୍ତି। ୩୫ ପ୍ରତିଶତରୁ ୨୨ ପ୍ରତିଶତ ବ୍ୟକ୍ତି ଗୋଟିଏ ମାସରୁ କମ ସମୟ ପାଇଁ ଯୋଗ କରିଛନ୍ତି । କିନ୍ତୁ ଆମେରିକାରେ ୩୬ ମିଲିଅନରୁ ଅଧିକ ଲୋକ ଯୋଗ କରୁଥିବା ଅନ୍ୟ ଏକ ଅନୁସନ୍ଧାନ ରିପୋର୍ଟ ପ୍ରକାଶ ପାଇଛି । ଏପରିକି ଗତ ୪ ବର୍ଷ ମଧ୍ୟରେ ଯୋଗ ଅଭ୍ୟାସକାରୀଙ୍କ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ପାଇଛି । ସାରା ପୃଥିବୀରେ ଏବେ ୩୦୦ ମିଲିଅନ ଲୋକ ଯୋଗାଭ୍ୟାସ କରୁଛନ୍ତି ।  


କିନ୍ତୁ ପ୍ରଚାର ଓ ପ୍ରସାର ସତ୍ତ୍ୱେ (୨୦୧୮ରୁ) ଭାରତରେ ଯୋଗ କରୁଥିବା ଲୋକଙ୍କ ସଂଖ୍ୟା ଆଶାନୁସାରେ ବୃଦ୍ଧି ପାଇନାହିଁ ।  ଯୋଗ ପ୍ରତି ବିଶ୍ୱାସ ବଢୁଛି, କିନ୍ତୁ ଯୋଗ ସାଧକଙ୍କ ସଂଖ୍ୟା ବୃଦ୍ଧି ପାଉନାହିଁ ।  ଯେଉଁ ବ୍ୟକ୍ତିମାନେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଯୋଗ ଆରମ୍ଭ କରୁଛନ୍ତି, ଭୁଲ୍ ଉପକ୍ରମ ଯୋଗୁଁ ଖରାପ ପ୍ରଭାବର ଶିକାର ହେଉଛନ୍ତି ।   


ଯୋଗ ଆରମ୍ଭ କରିବା ପାଇଁ ଶାରୀରିକ ଓ ମାନସିକ ପ୍ରସ୍ତୁତି


ଯୋଗ କରିବା ପାଇଁ କିଛି ଶାରୀରିକ ଓ ମାନସିକ ପ୍ରସ୍ତୁତିର ଆବଶ୍ୟକତା ରହିଛି । କାରଣ ଏହା ଏକ ଜୀବନବ୍ୟାପୀ ସାଧନା, ଯାହା ଶରୀର ଓ ମନକୁ ପରିବର୍ତ୍ତନ କରେନାହିଁ ବରଂ ପୁନଃନିର୍ମାଣ କରିଥାଏ ।  ଯୋଗ ଆରମ୍ଭ କରିବା ପୂର୍ବରୁ ମାନସିକ ସ୍ତରରେ ଦୀର୍ଘକାଳ ଯାଏ ସାଧନା ଜାରି ରଖିବାକୁ ଦୃଢ଼ ପ୍ରତିଜ୍ଞା ନେବା ସହ ଯୋଗଶାସ୍ତ୍ର ଅନୁମୋଦିତ ପଥ ଅନୁସରଣ କରିବା ଆବଶ୍ୟକ । ସଠିକ୍ ଅଭ୍ୟାସ କରିବା ଫଳରେ ଶରୀରକୁ ପୀଡ଼ା ହେବନାହିଁ, ଅଜାଣତରେ ଶରୀରରେ ସହନଶୀଳତା ବୃଦ୍ଧି ପାଇବ ।


Most Indians, including most Hindus, do not practice yoga- Image Source: Pew Research


ବାସ୍ତବରେ ଏହା କୌଣସି ଆଶ୍ଚର୍ଯ୍ୟ ହେବା ପରି ତଥ୍ୟ ନୁହେଁ ...


ସର୍ବପ୍ରଥମେ ଯୋଗ ଆରମ୍ଭ କରିବାବେଳେ ଆମେ ଦୁଇଟି ବିକଳ୍ପରୁ ଗୋଟିଏକୁ ଗ୍ରହଣ କରିନେବା ଆବଶ୍ୟକ । ବାସ୍ ଏହାପରେ ସମସ୍ତ ଦ୍ୱନ୍ଦ୍ୱ ଆପେ ଦୂର ହୋଇଯିବ । ସବୁ ପ୍ରଶ୍ନର ଉତ୍ତର ଆମ ହାତ ପାହାନ୍ତାରେ ରହିଛି, କିନ୍ତୁ ଆମେ ଅସଚେତନତା କାରଣରୁ ଏହାକୁ ବୁଝିବାରେ ବିଳମ୍ବ କରୁଛନ୍ତି ।


ପ୍ରଥମଟି 'ଭାରତୀୟ ଯୋଗ'

ଦ୍ୱିତୀୟଟି 'ବିଦେଶୀ ଯୋଗ' 


ଆପଣ ଦ୍ୱିତୀୟଟିକୁ ଗ୍ରହଣ କରୁଥିଲେ... ଆପଣଙ୍କ ପାଇଁ କୌଣସି ନିୟମ ନାହିଁ (ଅକାଳେ ନିୟମ ନାସ୍ତି)। କାରଣ ବିଦେଶୀ ଯୋଗରେ କେବଳ 'ଯୋଗାସନ'କୁ 'ଯୋଗ' ଭାବରେ ଗ୍ରହଣ କରାଯାଇଛି । ଅତିରିକ୍ତ ଭାବେ ଏଥିରେ ମେଡିଟେସନକୁ ଯୋଡ଼ି ଦିଆ ଯାଇଛି । ବିଭିନ୍ନ ମାଧ୍ୟମରେ ପ୍ରଚାରିତ ହେଉଥିବା ଉତ୍ସରୁ ଆପଣ ଅନେକ ପ୍ରକାର ଅଙ୍ଗ ଭଙ୍ଗୀର ସୂଚନା ପାଇପାରିବେ । କିମ୍ବା 'ଯୋଗ' ଶବ୍ଦ ଆଗରେ କିମ୍ବା ପଛରେ ଇଂରାଜୀ ଶବ୍ଦଟିଏ ଯୋଡ଼ି ହୋଇଥିବା କୌଣସି ବିଶେଷ ଯୋଗ ମଧ୍ୟ କରିପାରିବେ । ଏହା ଆପଣଙ୍କ ଶାରୀରିକ ବିକାଶରେ ସହାୟତା କରିପାରେ । କିନ୍ତୁ ଅନୁସନ୍ଧାନ ତଥ୍ୟ ଅନୁସାରେ ଏହି ପ୍ରକାର ଯୋଗ କ୍ରିୟା କରି ୧୦ ପ୍ରତିଶତ ଅଭ୍ୟାସକାରୀ ରୋଗଗ୍ରସ୍ତ ହେଉଛନ୍ତି । ଆମେରିକାରେ ପ୍ରତି ୧୦ ଜଣ ଅଭ୍ୟାସକାରୀଙ୍କ ମଧ୍ୟରୁ ଜଣେ ଆଘାତପ୍ରାପ୍ତ ହେଉଛନ୍ତି । ଆମେରିିକାର ଏକ ବିଶ୍ୱବିଦ୍ୟାଳୟରେ ଏହାକୁ ନେଇ ଗବେଷଣା ଚାଲିଛି। 


ଭାରତୀୟ ଯୋଗ ଦର୍ଶନ


ଭାରତ ମାଟିରୁ ଯୋଗର ଅୟମାରମ୍ଭ । କେବଳ ଗୋଟିଏ ଯୋଗଶାସ୍ତ୍ର ନୁହେଁ ଭାରତୀୟ ସିଦ୍ଧ ଯୋଗ ଗୁରୁମାନେ ହଜାର ହଜାର ସଂଖ୍ୟାରେ ଯୋଗଶାସ୍ତ୍ର ରଚନା କରିଛନ୍ତି । ସମୟ ଚକ୍ରରେ ଅନେକ ଶାସ୍ତ ବିଲୁପ୍ତ ହୋଇଛି । ବର୍ତ୍ତମାନ ସମୟ ଯାଏ ତିଷ୍ଠି ରହିଥିବା ଯୋଗଶାସ୍ତ୍ର ମଧ୍ୟରେ ମହର୍ଷି ପତଞ୍ଜଳିଙ୍କ ଯୋଗସୁତ୍ର,  ସ୍ବାମୀ ସ୍ବାତ୍ମରାମଙ୍କ ହଠଯୋଗ ପ୍ରଦୀପିକା, ମହର୍ଷି ଘେରଣ୍ଡଙ୍କ ଘେରଣ୍ଡ ସଂହିତା, ଶିବ ସଂହିତା, ଗୋରକ୍ଷ ଯୋଗଶାସ୍ତ୍ର, ଗୋରଖନାଥଙ୍କ ସିଦ୍ଧ ସିଦ୍ଧାନ୍ତ ପଦ୍ଧତି, ଆଦି ଶଙ୍କରାତଚାର୍ଯ୍ୟଙ୍କ ଯୋଗ ତାରାବଳୀ, ତନ୍ତ୍ରଯୋଗ, ଯୋଗ ବଶିଷ୍ଠ ଶାସ୍ତ୍ର ରହିଛି ।


ଭାରତ ମାଟିରେ ହଜାର ହଜାର ବର୍ଷ ଧରି ଯୋଗ ପ୍ରଚଳିତ ରହିଆସିଛି ଓ ପ୍ରମାଣ ସିଦ୍ଧ ହୋଇଛି। ଯୋଗଶାସ୍ତ୍ରରେ ମାନବ ଶରୀରର ସମ୍ପୂର୍ଣ୍ଣ ବିକାଶ ପାଇଁ ୪ଟି ଯୋଗମାର୍ଗ ( ଜ୍ଞାନଯୋଗ, ଭକ୍ତିଯୋଗ, କର୍ମଯୋଗ ଓ ରାଜଯୋଗ) ଦର୍ଶା ଯାଇଛି। ନିଜର ସାଧ୍ୟ ଅନୁଯାୟୀ ଏହାକୁ ଲୋକେ ଗ୍ରହଣ କରିବାକୁ କୁହାଯାଇଛି । ରାଜଯୋଗରେ ଅଷ୍ଟାଙ୍ଗ ଯୋଗର ସମ୍ପୂର୍ଣ୍ଣ ବର୍ଣ୍ଣନା ରହିଛି । 


ଅଷ୍ଟାଙ୍ଗ ଯୋଗ


ଯୋଗସୁତ୍ରରେ ଯୋଗରେ ସିଦ୍ଧି ପ୍ରାପ୍ତି ପାଇଁ ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି- ଏହି ୮ଟି ସୋପାନକୁ କ୍ରମାନ୍ୱୟରେ ଅତିକ୍ରମ କରିବାକୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ଭାରତରେ ଯୋଗୀଙ୍କୁ 'ଯୋଗ ଅଭ୍ୟାସକାରୀ' ବଦଳରେ 'ଯୋଗ ସାଧକ' କୁହାଯାଇଥାଏ । 

(ଅଷ୍ଟାଙ୍ଗ ଯୋଗର ମର୍ମ ଜାଣିବା ପାଇଁ 'ମହର୍ଷି ପତଞ୍ଜଳିଙ୍କ ଅଷ୍ଟାଙ୍ଗ ଯୋଗ ଦର୍ଶନ' ବିଷୟଟିକୁ ପଢ଼ନ୍ତୁ। )

spiritual-path-secret-system-of- yoga-yogashree

ସ୍ୱାମୀ ବିବେକାନନ୍ଦଙ୍କ ଚରିତ 'ରାଜଯୋଗ' ପୁସ୍ତକ ପଢ଼ିବାକୁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ: Raja Yoga


କ୍ରମାନ୍ୱୟରେ ଯୋଗର ୮ଟି ପର୍ଯ୍ୟାୟ-

  1. ଯୋଗର ସର୍ବ ପ୍ରଥମ ପର୍ଯ୍ୟାୟ - ବାହ୍ୟ ଅନୁଶାସନ ବା ସଂଯମ ( ଯମ)
  2. ଦ୍ୱିତୀୟ ପର୍ଯ୍ୟାୟ-   ଅନ୍ତଃ ଅନୁଶାସନ ବା ଅନ୍ତରସୁଦ୍ଧି ( ନିୟମ)
  3. ତୃତୀୟ ପର୍ଯ୍ୟାୟ- ଯୋଗାସନ ବା ଯୋଗ ଆସନ (ଆସନ)
  4. ଚତୁର୍ଥ ପର୍ଯ୍ୟାୟ- ଶ୍ୱାସ ନିୟନ୍ତ୍ରଣ (ପ୍ରାଣାୟାମ)
  5. ପଞ୍ଚମ ପର୍ଯ୍ୟାୟ - ଇନ୍ଦ୍ରୀୟ ନିୟନ୍ତ୍ରଣ ବା ଆତ୍ମସୁଦ୍ଧି (ପ୍ରତ୍ୟାହାର)
  6. ଷଷ୍ଠ ପର୍ଯ୍ୟାୟ- ଆତ୍ମନିରୀକ୍ଷଣ ବା ସତ୍ୟ ଦୃଷ୍ଟି (ଧାରଣା)
  7. ପପ୍ତମ ପର୍ଯ୍ୟାୟ- ଏକାତ୍ମତା (ଧ୍ୟାନ)
  8. ଅଷ୍ଟମ ପର୍ଯ୍ୟାୟ- ଶାଶ୍ୱତ ବା ଯୋଗ ସ୍ଥିତି (ସମାଧି)

(ସାରାଂଶ:- ଯୋଗର ସମ୍ପୂର୍ଣ୍ଣ ୮ଟି ପର୍ଯ୍ୟାୟ ଥିଲେ ମଧ୍ୟ ୩ଟି ମାର୍ଗ ଦୃଶ୍ୟମାନ ଶାରୀରିକ କ୍ରିୟା ଓ ୫ଟି ଅଦୃଶ୍ୟ ମାର୍ଗ । ଯୋଗାସନ, ପ୍ରାଣାୟାମ ଓ ଧ୍ୟାନ, ଏହି ୩ଟି ପର୍ଯ୍ୟାୟ ଦୃଶ୍ୟମାନ ହୋଇଥାଏ । ଯଦି ଏହି ୩ଟି ପର୍ଯ୍ୟାୟକୁ ବିଚାରକୁ ନିଆଯାଏ, ପ୍ରଥମେ ଯୋଗାସନ, ତା'ପରେ ପ୍ରାଣାୟାମ ଏବଂ ପରେ ଧ୍ୟାନ କରାଯିବା ଉଚିତ। ଯୋଗାସନ ଦ୍ୱାରା ଶରୀର ସନ୍ତୁଳିତ ହୋଇଥାଏ। ଏହାପରେ ପ୍ରାଣାୟାମ ଦ୍ୱାରା ଶ୍ୱାସକ୍ରିୟା ସୁଗମ ହୁଏ। ଏହାପରେ ଧ୍ୟାନ କଲେ ସହଜରେ ଏକାଗ୍ରତା ଆସିଥାଏ। ତେଣୁ ପ୍ରଥମ ପର୍ଯ୍ୟାୟରେ ଯୋଗ ଆରମ୍ଭ କରିବାବେଳେ ସହଜ ଯୋଗାସନ ଭାବେ ସୂର୍ଯ୍ୟ ନମସ୍କାରକୁ ସାଧନା କରାଯାଏ। ଏହା ଉଭୟ ଶାରୀରିକ ଓ ମାନସିକ ଶକ୍ତିକୁ ବୃଦ୍ଧି କରିଥାଏ )


ଭାରତୀୟ ଯୋଗ ସଂସ୍କୃତିର ବିଲୁପ୍ତି ଧାରା ଓ ପୁନଃ ଲୋକପ୍ରିୟତାର ଆଦ୍ୟ ସୋପାନ


ଭାରତରେ ପ୍ରାୟ ୫,୦୦୦ ବର୍ଷ ପୂର୍ବରୁ ଯୋଗର ପ୍ରଚଳନ ହୋଇଥିଲା । ସଂସ୍କୃତ ଆଦ୍ୟବେଦ ଋକ୍ ବେଦ (Rig Veda) ରେ ଯୋଗ ଶବ୍ଦର ଉଲ୍ଲେଖ ରହିଛି। ହଜାର ହଜାର ବର୍ଷ ଧରି ମହର୍ଷି ପତଞ୍ଚଳିଙ୍କ ଯୋଗସୁତ୍ର ଆଧାରରେ ଭାରତୀୟମାନେ ଯୋଗ କରିଆସୁଥିଲେ । ଭାରତୀୟ ସଂସ୍କୃତି ସହିତ ଯୋଗ ଓ ଆୟୁର୍ବେଦର ନିବିଡ଼ ସମ୍ପର୍କ ରହିଛି। 


'ହିନ୍ଦୁ' ଏକ ଭୌଗଳିକ ପରିଚୟ କିମ୍ବା ଧର୍ମ?


ଏପରିକି ଯେତେବେଳେ 'ହିନ୍ଦୁ' ଶବ୍ଦ ସହିତ ଧର୍ମକୁ ଯୋଡ଼ି ଦିଆଗଲା, ସେତେବେଳେ ବି ଯୋଗ ହିନ୍ଦୁ ଧର୍ମ ସଂହିତା ଅନ୍ତଃର୍ଗତ ହୋଇଗଲା ।  ଯୋଗ ବିଜ୍ଞାନରେ ଆଦ୍ୟ ମନ୍ତ୍ର ଭାବେ ଉଚାରିତ ହେଉଥିବା ଓଁକାରକୁ ହିନ୍ଦୁ ଧର୍ମୀୟ ଚେତନାର ଚିହ୍ନ ଭାବରେ ଗ୍ରହଣ କରାଗଲା । ଏହାପରେ ହିଁ ଯୋଗର ବିଘଟନ ଆରମ୍ଭ ହୋଇଥିଲା । ଭାରତ ମାଟିରେ ବିଦେଶୀଙ୍କ ଲୋଲୁପ ଦୃଷ୍ଟି ପଡ଼ିବା ଯାଏ ଭାରତରେ ଯୋଗ ସଂସ୍କୃତି ଅକ୍ଷତ ରହିଥିଲା। 


ସାଂସ୍କୃତିକ ମୂଲ୍ୟବୋଧ ଅନୁସାରେ ଆକ୍ଷରିତ ଅର୍ଥରେ ହିନ୍ଦୁ ଏକ ଧର୍ମ ବା ସଂପ୍ରଦାୟର ନାମ ନଥିଲା। ଏହା କେବଳ ଏକ ସାଂସ୍କୃତିକ ଭୁଖଣ୍ଡର କାୟାକୁ ଦର୍ଶାଉଥିଲା । ଉତ୍ତରରେ ହିମାଳୟଠାରୁ ଦକ୍ଷିଣରେ ଇନ୍ଦୁ ସାଗର (ଭାରତ ମହାସାଗର) ମଧ୍ୟବର୍ତ୍ତୀ ଭୁଖଣ୍ଡକୁ ହିନ୍ଦୁସ୍ଥାନ ଭାବରେ ଭୌଗଳିକ ବଳୟ ବାହାରେ ଥିବା ଲୋକମାନେ ପରିଚୟ ଦେଉଥିଲେ । କିନ୍ତୁ ଏହି ଭୁଖଣ୍ଡରେ ବାସ କରୁଥିବା ଜନତା ନିଜକୁ ସନାତନୀ ବା ସତ୍ୟ ସନ୍ଧାନୀର ପରିଚୟ ଦେଉଥିଲେ ।  ଏହାପରେ ସଂସ୍କୃତି ସହିତ ଜଡ଼ିତ 'ଭାରତ'ର ନାମ  'ଇଣ୍ଡିଆ' (ଅର୍ଥହୀନ ଇଂରାଜୀ ଶବ୍ଦ)କୁ ପରିବର୍ତ୍ତନ କରିଥିଲେ ଲୁଣ୍ଠନକାରୀ ବିଦେଶୀ ଶକ୍ତି । 


ଯୋଗ ଶିକ୍ଷା କେନ୍ଦ୍ର ଧ୍ୱଂସ


ଲୁଣ୍ଠନ ଓ ଧର୍ମ ପ୍ରଚାର ଲକ୍ଷ୍ୟ ନେଇ ବିଦେଶୀ ଆକ୍ରମଣକାରୀ ଭାରତରେ ପହଞ୍ଚିବା ପରେ ସ୍ୱତଃ ହିନ୍ଦୁ ଏକ ଧର୍ମ ଭାବରେ ଉଭା ହୋଇଯାଇଥିଲା । କାରଣ ବିଦେଶୀମାନେ ସର୍ବପ୍ରଥମେ ଭାରତୀୟଙ୍କ ଏକତାର ମୂଳୋତ୍ପାଟନ କରିବାକୁ ଚାହୁଁଥିଲେ । ଧର୍ମାନ୍ତରୀକରଣ, ଲୁଣ୍ଠନ ସହ ଭାରତୀୟ ସଂସ୍କୃତିକୁ ଅସିଦ୍ଧ ଘୋଷଣା କରାଗଲା । 'ଯୋଗ'କୁ ସମ୍ପୂର୍ଣ୍ଣ ଅମୂଳକ, ସମୟ ନଷ୍ଟକାରୀ ଓ ଭିତ୍ତିହୀନ ହୋଇଥିବା ପ୍ରଚାର କରାଗଲା । ଯୋଗ ଶିକ୍ଷା ଦିଆଯାଉଥିବା ୧୬ ରୁ ଅଧିକ ପ୍ରାଚୀନ ଭାରତୀୟ ବିଶ୍ୱବିଦ୍ୟାଳୟ (ତକ୍ଷଶୀଳା, ନାଳନ୍ଦା, ମିଥିଳା, ତେଲହରା, ବଲ୍ଲଭୀ, ପୁଷ୍ପଗିରି, ବିକ୍ରମଶୀଳା, ସୋମପୁରା ଆଦି) କୁ ଧ୍ୱଂସ କରିଦିଆଗଲା । 


ଧର୍ମାନ୍ତରୀକରଣ, ଆକ୍ରମଣ, ଲୁଣ୍ଠନ ପରେ ପରବର୍ତ୍ତୀ ସମୟରେ ଭାରତର ଶାସନ କ୍ଷମତା ମଧ୍ୟ ବିଦେଶୀଙ୍କ ହାତକୁ ଚାଲିଯାଇଥିଲା ।  ଗୋଟିଏ ପଟେ ବୈଦିକ ବିଶ୍ୱାସ, ସଂସ୍କୃତି ଓ ପରମ୍ପରା ଥିବାବେଳେ ଅନ୍ୟ ପଟେ ଥିଲା ଦମନମୂଳକ ନୀତି, ବାଧ୍ୟତାମୂଳକ ନିୟମ, ବଞ୍ଚିବା ପାଇଁ ବିକଳ୍ପ।  ସ୍ୱାଭାବିକ ଭାବେ ଭାରତୀୟ ମାନେ ଜୀବନ ଜୀଇଁବା ପାଇଁ ସଂସ୍କୃତିଠାରୁ ମୁହଁ ଫେରାଇ ନେଲେ । 


ଶହ ଶହ ବର୍ଷ ଧରି ସମାଜରେ ଯୋଗ ଏକ ଅବାଞ୍ଛିତ ପରମ୍ପରା ହୋଇ ରହିଥିଲା। କିନ୍ତୁ ସାଧକମାନେ ଯୋଗ ବିଜ୍ଞାନକୁ ଗୁପ୍ତରେ ବଞ୍ଚାଇ ରଖିଥିଲେ । ସାରା ଭାରତବର୍ଷରେ ଯୋଗୀ, ଯୋଗ ଶିକ୍ଷା ପ୍ରଦାନ କରୁଥିଲେ ।  ଦକ୍ଷିଣ ଭାରତ ଅପେକ୍ଷା ଉତ୍ତର ଭାରତ ବିଦେଶୀଙ୍କ ଆକ୍ରମଣ ଦ୍ୱାରା ବେଶୀ ପ୍ରଭାବିତ ହୋଇଥିଲା। ସେଥିପାଇଁ ଏବେବି ଦକ୍ଷିଣ ଭାରତରେ ବୈଦିକ ପରମ୍ପରା ଦେଖିବାକୁ ମିଳେ । 


ସମୟ ବଦଳିଥିଲା...


ଭାରତରୁ ଲୁଣ୍ଠନ କରିନେଇଥିବା ପୋଥି, ପୁରାଣ, ଶାସ୍ତ୍ର (ଆମେରିକା, ବ୍ରିଟେନ, ରୁଷିଆ, ଜାପାନ, ଇରାନ ସଂଗ୍ରହାଳୟରେ ସ୍ଥାନିତ)ର ଅଧ୍ୟୟନ ପରେ ବିଦେଶୀଙ୍କ ପ୍ରତି ଲୋମକୂପରେ ଲାଗିଥିଲା ଆଶ୍ଚର୍ଯ୍ୟର ଚମକ୍  । ସଂସ୍କୃତ ଭାଷା, ବେଦ, ଯୋଗ ବିଜ୍ଞାନରେ ମହିମାର ସନ୍ଧାନ  ପାଇଥିଲେ ବିଦେଶୀ । କିନ୍ତୁ ସେତେବେଳକୁ ଭାରତ ମାଟିରୁ ପ୍ରାୟତଃ ଉଭାନ ହୋଇସାରିଥିଲା ସଂସ୍କୃତ ଭାଷା, ବେଦ ଶିକ୍ଷା ଓ ଯୋଗ ପରମ୍ପରା। 


ସସ୍କୃତ ହିଁ ଏକମାତ୍ର ବିଜ୍ଞାନ ସିଦ୍ଧ ଭାଷା,  ଯୋଗ ଏକମାତ୍ର ବିଜ୍ଞାନ ସିଦ୍ଧ ପ୍ରକ୍ରିୟା


ବିଦେଶୀଙ୍କ ଅନୁସନ୍ଧାନ, ଗବେଷଣାରୁ ସସ୍କୃତ ହିଁ ଏକମାତ୍ର ବିଜ୍ଞାନ ସିଦ୍ଧ ଭାଷା,  ଯୋଗ ଏକମାତ୍ର ବିଜ୍ଞାନ ସିଦ୍ଧ ପ୍ରକ୍ରିୟା ପ୍ରମାଣିତ ହୋଇଥିଲା । ସମ୍ପୂର୍ଣ୍ଣ ଯୋଗ ବିଜ୍ଞାନକୁ ବୁଝିବାରେ ଅସମର୍ଥ ଥିଲେ ବିଦେଶୀ । କେବଳ ଏକ ଖଣ୍ଡିତ ଅଂଶ ବା ଅଷ୍ଟାଙ୍ଗ ଯୋଗର ତୃତୀୟ ପର୍ଯ୍ୟାୟ ଯୋଗାସନକୁ ବୁଝିପାରିଥିଲେ । କିଛି ଶାରୀରିକ କ୍ରିୟା, ଶରୀରକୁ ନିରୋଗ ରଖିବାରେ ସକ୍ଷମ- ଏହି ଉକ୍ତିଟିକୁ ହିଁ ପ୍ରଚାର କରିଥିଲେ ବିଦେଶୀ (ଭାରତୀୟ ନୁହେଁ) ।  


ପରବର୍ତ୍ତୀ ସମୟରେ ସେହି ଖଣ୍ଡିତ ଯୋଗ, ପୂର୍ଣ୍ଣାଙ୍ଗ ଯୋଗ ଭାବରେ ବିଦେଶରେ ଲୋକପ୍ରିୟ ହେବାକୁ ଲାଗିଲା। ଦେଶରୁ ଦେଶ...ଶେଷରେ ଭାରତ ମାଟିରେ ବି ପହଞ୍ଚିଲା ସେହି ଖଣ୍ଡିତ ଯୋଗ, ଯାହା କେବଳ ଶରୀରକୁ କିଛି ମାତ୍ରାରେ ସୁସ୍ଥ ରଖିବାକୁ ସକ୍ଷମ । ଅନ୍ୟ ଅନେକ ଶାରୀରିକ ବ୍ୟାୟାମ ପରି ଯୋଗ ମଧ୍ୟ ଏକ ମାଧ୍ୟମ ବନିଗଲା । ଯାହା ଯୋଗର ମୂଳ ଉଦ୍ଦେଶ୍ୟକୁ ସାଧିତ କରେନାହିଁ ।


ସମୟ ବଦଳିଛି...


ଭାରତୀୟ ଯୋଗ ଦର୍ଶନକୁ ବୁଝିବା ପାଇଁ ବିଦେଶୀ ସଂସ୍କୃତ ଭାଷା ଅଧ୍ୟୟନ କରୁଛନ୍ତି। ବୈଦିକ ପରମ୍ପରା ଉପରେ ଅନୁସନ୍ଧାନ ଜାରି ରଖିଛନ୍ତି । ଯୋଗ ସହିତ ଯୋଡ଼ି ହୋଇ ରହିଥିବା ଆଧ୍ୟାତ୍ମିକତା (ଓଁକାର)ର ରହସ୍ୟ ଖୋଜୁଛନ୍ତି। ପ୍ରକୃତ ଅର୍ଥରେ ଭାରତୀୟଙ୍କୁ ଭାରତୀୟଙ୍କଠାରୁ ବିଦେଶୀ ବେଶ୍ ଭଲ ଭାବରେ ଜାଣନ୍ତି।......

©ପ୍ରକାଶ ରଂଜନ ପରିଡ଼ା

Also Read: Difference Between Yoga Asana and Exercise





Post a Comment

0 Comments